• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ଅଦ୍ଭୁତ ମଣିଚୁଳ କଥା/Adbhuta Manichula Katha
ଗଳ୍ପ

ଅଦ୍ଭୁତ ମଣିଚୁଳ କଥା/Adbhuta Manichula Katha

suchitraBy suchitraNovember 28, 2021No Comments9 Mins Read
Facebook Twitter Pinterest Reddit LinkedIn Tumblr Email
Adbhuta-Manichula-Katha
Adbhuta-Manichula-Katha
Share
Facebook Twitter Pinterest Reddit Email

ଏହା ମଧ୍ୟରେ ବହୁ ପଥ ଗମନ କରିବା ମଧ୍ୟରେ କିଛି ଦିନ ବିତି ଯାଇଛି । ଗଙ୍ଗା କୂଳ ଯାଏଁ ଅନେକ ଗୁଡିଏ ପଥ ଅତିକ୍ରମ କରିବା ପରେ ଚତୁର ବ୍ୟଙ୍ଗକାର ଓ ବୋଲକରା ଯାଇ ସିନ୍ଧୁ ନାମକ ଏକ ରାଜ୍ୟରେ ପହଁଚି ଗଲେ । ସେମାନେ ଯାଇ ଯେଉଁ ସ୍ଥାନରେ ପହଁଚିଲେ ସେହି ସ୍ଥାନରେ ଗୋଟିଏ ପ୍ରାଚୀନ ମନ୍ଦିର ଥିଲା । ସେହି ମନ୍ଦିରକୁ ଲାଗି ଅନ୍ୟ ଏକ ପଥର ଗୃହରେ ନିର୍ମିତ ହୋଇ ଥିଲା ସମାଧି ଗୋଟିଏ, ପୁଣି ସେହି ସମାଧିକୁ ଲାଗି ଶଂଙ୍ଖ ମଲମଲ ପଥରରେ ନିର୍ମିତ ହୋଇ ଥିବା ଗୋଟିଏ ଉଲଗ୍ନା କନ୍ୟାର ମୂର୍ତ୍ତିକୁ ସେଠାରେ ଥିବା ପୂଜକ ମାନେ ପୂଜା କରୁଥିବା ଦେଖି ବୋଲକରା ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲା । ପୁନଶ୍ଚ ସେହି କୁମାରୀ ମୂର୍ତ୍ତିକୁ ବହୁ ପରିମାଣର କନ୍ୟା ମାନଙ୍କର ପୂଜା କରୁ ଥିବା ଦେଖି ବୋଲକରାର ଦୋକାନକୁ ଯାଉଥିବା ପାଦ ଦୁଇଟା ସେହି ଠାରେ ଅଟକି ଗଲା । ଏହା ପରେ ସେଠାକାର ବାସିନ୍ଦା, ପଥଚଲା ଲୋକ ଓ ମନ୍ଦିରରୁ ଫେରୁ ଥିବା କେତେକ ଭକ୍ତଙ୍କୁ ବୋଲକରା ଏହି ବିଷୟରେ ପଚାରିବାରୁ ସେମାନଙ୍କ ଠାରୁ ସେ କୌଣସି ସନ୍ତୋଷ ଜନକ ଉତ୍ତର ପାଇ ପାରିଲା ନାହିଁ । ଏହା ବ୍ୟତୀତ ସେଠାରେ ଅନେକ ଲୋକ ବଙ୍ଗଳା ଭାଷାରେ କଥା କହୁ ଥିବାରୁ ବୋଲକରା ତାଙ୍କର ସେହି ବଙ୍ଗଳା ଭାଷାକୁ ବୁଝି ନପାରି ତରବରିଆ ହୋଇ ଫେରି ଆସିଲା ଉପଦେଷ୍ଟାଙ୍କ ପାଖକୁ ।

ବୋଲକରା କଚାଡିବା ପରି ଦୋକାନ ସଉଦାକୁ ଥୋଇ ଦେଇ ଚାହିଁଲା । ସେ ଦେଖିଲା ଚତୁର ବ୍ୟଙ୍ଗକାର ଏବେ ନିଜର ସ୍ନାନାଦି ଶୌଚ କାର୍ଯ୍ୟ ସମାପନ କରି କୋଥଳି ସେବାରେ ବ୍ୟସ୍ତ ଅଛନ୍ତି । ବୋଲକରା ଦେଖି ଥିବା ନାରୀ ମୂର୍ତ୍ତି ସମ୍ପର୍କରେ ବୁଝିବା ଲାଗି ଯାଇ ଉପଦେଷ୍ଟାଙ୍କୁ ସେହି କଥା ପଚାରନ୍ତେ ଚତୁର ବ୍ୟଙ୍ଗକାର କହିଲେ –

ରହି ଯାଅ ପୁଅ ଅସ୍ଥିର ନହୁଅ
ପଚାରିବା ପ୍ରଶ୍ନ ଜଟିଳ ନୁହଁ
ଜଣା ସବୁ କଥା ରଖ ବ୍ୟାକୁଳତା
ନିତ୍ୟ କର୍ମ ସାରେ କରିଦେବା କଥା ।

ଚତୁର ବ୍ୟଙ୍ଗକାର ଏପରି କଥା କହନ୍ତେ ବୋଲକରା ଆଉ କାଳ ବିଳମ୍ବ ନକରି ପାଖରେ ଥିବା ମୃତିକା ମାଠିଆରେ ପାଣି ମାଠିଆଟିଏ ଆଣି ଥୋଇ ଦେଇ ଉପଦେଷ୍ଟାଙ୍କ ସମ୍ମୁଖରେ ବସି ପରିବା କାଟିବା ଆରମ୍ଭ କରି ଦେଲା । ଉପଦେଷ୍ଟାଙ୍କର ଅଳ୍ପ କ୍ଷଣ ପରେ ନିତ୍ୟ କର୍ମ କାର୍ଯ୍ୟ ସରି ଯାଆନ୍ତେ ଧ୍ୟାନ ସମାପ୍ତରେ ମୁଖ ଖୋଲିଲେ –

ଆରେ ବୋଲକରା କଥାତ ନଖରା
ଆସ ବସ ଏଠି ଶୁଣ
ଶଙ୍ଖ ମଲ ମଲ ପଥର କୁମାରୀ
କହିବା ତାହାର ଗୁଣ ।

ପ୍ରାଚୀନ କାଳରେ ଏହି ରାଜ୍ୟର ନାମ ଥିଲା ଚିତ୍ର ନଗରୀ । ଏହି ନଗରୀରେ ରାଜୁତି କରୁ ଥିଲେ ଯେଉଁ ରାଜା ତାଙ୍କ ନାମ ଥିଲା ଚିତ୍ର ସେନ । ଚିତ୍ର ସେନ ରାଜାଙ୍କର ପୁଅ ଅନିଲ ଓ ସେହି ରାଜ୍ୟର ମନ୍ତ୍ରୀଙ୍କର ଏକମାତ୍ର ପୁଅ ସୁତରଶଙ୍କ ସହିତ ଏକ ପ୍ରକାର ନିବିଡ ବନ୍ଧୁତ୍ୱ ଥିଲା । ଦୁହେଁ ସାଥୀ ହୋଇ ସମସ୍ତ କାର୍ଯ୍ୟ କରୁ ଥିଲେ । ଯଥା – ପାଠ ଶାଳାରେ ପାଠ ପଢିବା, ଆଶ୍ରମକୁ ଯାଇ ଅସ୍ତ୍ର ଶିକ୍ଷା କରିବା, ଆଖଡାକୁ ଯାଇ ଘୋଡା ଚଢା ଅଭ୍ୟାସ କରିବା ସହିତ ସମସ୍ତ ବିଦ୍ୟାରେ ସାଥି ହୋଇ ପାରଙ୍ଗମତା ଅର୍ଜନ କରି ଥିଲେ ସେମାନେ ।

ଦିନକର କଥା – ଦୁଇ ସାଙ୍ଗଙ୍କର ମନ ହେଲା ଭ୍ରମଣ କରିବାକୁ । ଭ୍ରମଣ କରିବା ନିମନ୍ତେ ଧଳା କଳା ରଙ୍ଗର ଦୁଇଟି ଘୋଡାରେ ଦୁଇ ମିତ୍ର ଚଢି ଭ୍ରମଣ କରିବାକୁ ବାହାରି ଗଲେ । ଏମିତି ଗମନ କାଳରେ ରାସ୍ତାରେ ନଦୀ ନାଳ, ପାହାଡ ପର୍ବତ, ଘଂଚ ଅରଣ୍ୟାଦି ପଡିଲା । ସେସବୁକୁ ପାର୍ ହୋଇ ସେମାନେ ଆଗକୁ ଆଗକୁ ଚାଲିଲେ । କିଛି ପଥ ଅତିକ୍ରାନ୍ତ ହୋଇ ଯିବା ପରେ ଝରଶାଟିଏ ସେମାନେ ଦେଖିଲେ । ଝରଣା ନିକଟକୁ ଲାଗି ସେମାନେ ଏକ ପ୍ରକାଣ୍ଡ ଗଣ୍ଡ ଦେଖିଲେ । ଗଣ୍ଡ ମଧ୍ୟରେ ପ୍ରବେଶ କରିବା ଲାଗି ଗୋଟିଏ ସୁନ୍ଦର ପାବଚ୍ଛ ମଧ୍ୟ ସେମାନେ ଦେଖିଲେ । ଏପରି ମନୋରମ ସୁନ୍ଦର ବୃକ୍ଷଲତା ଦେଖି ଦୁଇ ସାଙ୍ଗ ସେହି ଠାରେ ଅଶ୍ୱରୁ ଅବତରଣ କରି ଅଶ୍ୱ ଦୁଇଟିକୁ ଚରିବା ନିମନ୍ତେ ଛାଡି ଦେଲେ । ତା’ପରେ ଝରଣାର କୂଳେ କୂଳେ ବୁଲି ସମସ୍ତ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହିତ ଫଳ ମୂଳ ମଧ୍ୟ ଖାଇଲେ । ଝରଣା ମଧ୍ୟରେ ପଶି ଜଳପାନ କରି ଚିନ୍ତା କଲେ ଯେ ଏହି ସ୍ଥାନଟି ଖୁବ୍ ଉତ୍ତମ ହୋଇ ଥିବାରୁ ଏଠାରେ ଆମେ ବିଶ୍ରାମ ନେବା ।

ତା’ପରେ ସେମାନେ ସେଠାରେ ବିଶ୍ରାମ କଲେ । ଘୋଡାମାନେ ସହଜେତ ପଶୁ ଜାତି । ହଠାତ୍ କୌଣସି ଉଚ୍ଚ ଶବ୍ଦ ସେମାନଙ୍କ କାନରେ ପଡିଲେ ସେମାନେ ସଙ୍ଗେ ସଙ୍ଗେ ତରକି ଉଠନ୍ତି । ସେହି ପରି କୌଣସି ଏକ ଶବ୍ଦ ଶୁଣିବାରୁ ଘୋଡା ମାନେ ଖୁବ୍ ଜୋର୍ରେ ରାଜା ପୁଅ ଓ ମନ୍ତ୍ରୀ ପୁଅଙ୍କ ବିଶ୍ରାମ ସ୍ଥାନକୁ ପଳାଇ ଆସିଲେ । ଏପରି ଅତର୍କିତ ଘୋଡାର ଟାପୁ ଶବ୍ଦ ଶୁଣି ଆଗ ମନ୍ତ୍ରୀ ପୁଅର ନିଦ ଭାଙ୍ଗି ଗଲା । କ’ଣ ହେଲା, କ’ଣ ହେଲା ଭାବି ତରବାରି ଧରି ଠିଆ ହୋଇ ପଡି ଦେଖିଲା ସେଠାରେ ଏକ ଅସ୍ୱାଭାବିକ ଘଟଣା ଘଟୁଛି । ସେମାନଙ୍କର ବିଶ୍ରାମ ନେଇ ଥିବା ସ୍ଥାନର ଅନତି ଦୂରରେ ବିରାଟ ଏକ ମଣି ଥୁଆ ହୋଇଛି । ତାର ଆଲୋକରେ ଚତୁର୍ଦିଗ ଆଲୋକିତ ମଧ୍ୟ ହେଉଛି । ଆଉ ମଧ୍ୟ ତା ନିକଟବର୍ତୀ ସ୍ଥାନରେ ଗୋଟିଏ ବିରାଟକାୟ ନାଗ ସେମାନଙ୍କର ଦୁଇ ଗୋଟି ଘୋଡା ମଧ୍ୟରୁ ଗୋଟିଏ ଘୋଡାକୁ ଅର୍ଦ୍ଧ ଯାଏଁ ଗ୍ରାସ କରି ସାରିଲାଣି । ଏ କଥା ଦେଖି ମନ୍ତ୍ରୀ ପୁଅର ହଲକ ଶୁଖି ଗଲା । ଭୟରେ ଦେହଟା ତା’ର ଥରିବାକୁ ଲାଗିଲା । ଆଗକୁ ଯେ ସେମାନଙ୍କ ଉପରକୁ ବିପଦ ନ ଆସିବ ସେ କଥା କିଏ କହିବ । ତେଣୁ ତରବର ହୋଇ ରାଜା ପୁଅକୁ ନିଦ୍ରାରୁ ଉଠାଇ ଦେଇ ପ୍ରାଣ ବିକଳରେ ଦୁହେଁ ନିକଟରେ ଥିବା ଏକ ବୃକ୍ଷ ଉପରକୁ ଚଢି ଗଲେ ।

ବୃକ୍ଷ ଉପରେ ରାଜା ପୁଅ ଓ ମନ୍ତ୍ରୀ ପୁଅ ଭୟରେ ବସି ଏସବୁ ଘଟଣା ଦେଖୁ ଥାଆନ୍ତି । ସେତେ ବେଳେ ସେମାନଙ୍କ ମୁଣ୍ଡରେ କିଛି ବି ବୁଦ୍ଧି ପଶିଲା ନାହିଁ । କିଛି ସମୟ ମଧ୍ୟରେ ନାଗଟି ଦୁଇ ଗୋଟି ଘୋଡାକୁ ଉଦରସ୍ଥ କରି ତା’ର ମଣିକୁ ମଥାପରେ ସ୍ଥାପନ କରି ସେହି ହ୍ରଦ ମଧ୍ୟକୁ ଚାଲି ଗଲା । ଏଥୁ ଅନ୍ତେ ରାଜା ପୁଅ ଆଉ ମନ୍ତ୍ରୀ ପୁଅ ରାତି ପାହି ଯିବାରୁ ଗଛରୁ ଓହ୍ଲାଇଲେ । ଘୋଡା ଦୁଇଟିକୁ ତ ନାଗ ଗିଳି ଦେଲା । ଏବେ ସେମାନେ ଚାଲି ଚାଲି କିଛି ଦୂର ଚାଲି ଯାଆନ୍ତେ ଗୋଟିଏ ଆଶ୍ରମ ଦେଖିଲେ । ସେମାନେ ଆଶ୍ରମ ମଧ୍ୟକୁ ଯାଇ ଦେଖିଲେ ଜଶେ ଋଷି ଧ୍ୟାନରେ ବସି ଛନ୍ତି । ଋଷିଙ୍କର ଧ୍ୟାନ ଭଗ୍ନ ନକରି ପ୍ରଥମେ ସେମାନେ ଋଷିଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କଲେ । ଋଷିଙ୍କର ଧ୍ୟାନ ଭଗ୍ନ ହୁଅନ୍ତେ ସେମାନଙ୍କ ଘୋଡା ଦୁଇଟିକୁ ସେ ନାଗ କିପରି ଉଦରସ୍ଥ କଲା ତାହା ବର୍ଣ୍ଣନା କଲେ ।

ଋଷି ରାଜା ପୁଅ ଓ ମନ୍ତ୍ରୀ ପୁଅ ଠାରୁ ନାଗ ଓ ଘୋଡା ଦୁଇଟିକୁ ଗିଳି ଦେବା ଜାଣି ହସି ହସି କହିଲେ – ସେଇଟା ନାଗ ନୁହଁ କୁମର । ସେ ହେଉଛି ନାଗ ରୂପି ଏକ ଗନ୍ଧର୍ବ । ତାକୁ ଅଭିଶାପ ହୋଇ ଥିବାରୁ ସେ ନାଗ ହୋଇଛି । ସେ କେବଳ ତୁମର ଘୋଡା ନୁହଁ ଏହା ମଧ୍ୟରେ ସେ ଏକ ରାଜ୍ୟକୁ ଗ୍ରାସ କରି ସାରିଲାଣି । ଆଉ ମଧ୍ୟ ଗ୍ରାସ କରିଥିବା ରାଜ୍ୟର ରାଜ କୁମାରୀଙ୍କୁ ମଧ୍ୟ ବନ୍ଦୀ କରି ନିଜ ପାଖରେ ରଖିଛି । ଋଷିଙ୍କ ଠାରୁ ଏ କଥା ଶୁଣି ମନ୍ତ୍ରୀ ପୁଅ ପଚାରିଲେ ସେ ତ ରାଜ୍ୟ ସାରାର ପଶୁ ପକ୍ଷୀ, ମନୁଷ୍ୟ ମାନଙ୍କୁ ଗ୍ରାସ କଲା । ତେବେ ରାଜ କନ୍ୟାଙ୍କୁ ଗ୍ରାସ ନକରି ବନ୍ଦୀ କରି ରଖିଛି କାହିଁକି?

ଋଷି କହିଲେ – ସେହି କଥା ଜାଣିବ ଯେବେ ତାହା ହେଲେ ଶୁଣ, ମୁଁ ତୁମକୁ ସେହି କଥା କହୁଛି । ଋଷି କହିଲେ ଏହା ଏ ସମୟର କଥା ନୁହେଁ । ପ୍ରାଚୀନ ଯୁଗରେ ମଣିଚୁଳ ନାମରେ ଜଣେ ଗନ୍ଧର୍ବ ଥିଲେ । ସେ ଗନ୍ଧର୍ବ ମଣିଚୁଳର ମାତାଙ୍କ ସହିତ ସମ୍ଭୋଗ କ୍ରୀଡାରେ ରତ ଥିବା ଅବସ୍ଥାକୁ ଦିନେ ସ୍ଥାନୀୟ ଦେବତା ମାନେ ଦେଖି ପକାଇ ତାକୁ କ୍ରୋଧିତ ହୋଇ ଏପରି ଅଭିଶାପ ଦେଲେ ଯେ ସେହି ଅଭିଶାପ ପାଇ ଗନ୍ଧର୍ବ ମଣିଚୁଳ ଭାବରେ ପରିଚିତ ହେଲା । ଗନ୍ଧର୍ବ ଯେତେବେଳେ ମଣିଚୁଳ ହେଲା ତା’ର ରାଗ ବଢିଲା । ତେଣୁ ସେ କ୍ରୋଧିତ ହୋଇ ଏ ସବୁ କାର୍ଯ୍ୟ କରି ଗଣ୍ଡ ମଧ୍ୟରେ ବାସ କରୁଛି । ମନ୍ତ୍ରୀ ପୁଅ କହିଲା ତା’ପରେ ରାଜ କନ୍ୟା?

ଋଷି କହିଲେ – ଗନ୍ଧର୍ବ ସିନା ସର୍ପ ହୋଇ ଗଲା, ହେଲେ ସେ ମନୁଷ୍ୟ ମାନଙ୍କର ସମସ୍ତ କଥା ବୁଝି ପାରୁ ଥିଲା । ଯେତେବେଳେ ଜାଣିଲା କନ୍ୟାଟି ତା’ର ଔରଷ ଜାତ ସନ୍ତାନ ନିଜେ ପିତା ହୋଇ ନିଜର ସନ୍ତାନକୁ ଗିଳନ୍ତାବା କିପରି? ସେଇଥି ଲାଗି ତାକୁ ମାରିଲା ନାହିଁ କି ଗିଳିଲା ନାହିଁ ମଧ୍ୟ । ତାକୁ ନେଇ ନିଜ ପାଖରେ ରଖିଲା । ଯେତେ ଦିନ ହେଲା ଏହି କନ୍ୟାଟି ମଣିଚୁଳ ପାଖରେ ଅଛି ସେତେଦିନ ଯାଏଁ କନ୍ୟାର ମଧ୍ୟ କୌଣସି ଅସୁବିଧା ହେବ ନାହିଁ । ମନ୍ତ୍ରୀ ପୁଅ କହିଲା – ତାହା ହେଲେ ସେହି କନ୍ୟାଟି କ’ଣ ମଣିଚୁଳ ପାଖରେ ସର୍ବଦା ରହିଥିବ? ସେ କ’ଣ ଆଉ କେବେ ମନୁଷ୍ୟ ସମାଜକୁ ଆସିବ ନାହିଁ । ତା’ର ମନୁଷ୍ୟ ଜନ୍ମ ପାଇବା କ’ଣ ବୃଥାରେ ଯିବ ?

ଋଷି କହିଲେ – ତୁମ ମନରେ ଯେବେ ସେହି କନ୍ୟାଟି ଲାଗି ଦୟା ହେଉଛି, ତେବେ ତାକୁ ଉଦ୍ଧାର କରିବାକୁ ହେଲେ ଆଗ ମଣିଚୁଳକୁ ହତ୍ୟା କରିବାକୁ ହେବ । ମନ୍ତ୍ରୀ ପୁଅ କହିଲା ମଣିଚୁଳକୁ ହତ୍ୟା କରି ଦେଲେ କନ୍ୟା ଲାଗି କି ଲାଭ ହେବ କହିଲେ ।

ଋଷି କହିଲେ – ତୁମେ ଯେବେ ସେହି ରାଜ କନ୍ୟାଟିକୁ ମଣିଚୁଳ ନିକଟରୁ ଉଦ୍ଧାର କରିବାକୁ ଚାହୁଁଛ ତାହା ହେଲେ ତୁମେ ଗଭୀର ଗଣ୍ଡ ମଧ୍ୟକୁ ଯିବ କିପରି । କାରଣ ସେହି ମଣିଚୁଳକୁ ହତ୍ୟା କଲେ ମଣିଚୁଳ ମସ୍ତକରେ ଥିବା ମଣିଟି ତୁମକୁ ପ୍ରାପ୍ତ ହେବ । ସେହି ମଣିକୁ ଧରି ଗଭୀର ଗଣ୍ଡରେ ପ୍ରବେଶ କଲେ ଗଣ୍ଡରେ ଥିବା ସମସ୍ତ ଜଳ ଦୁଇ ଭାଗ ହୋଇ ଯିବା ଦ୍ୱାରା ତୁମେ ସହଜରେ ଗଣ୍ଡ ମଧ୍ୟକୁ ଯାଇ ସେ ରାଜ କନ୍ୟାକୁ ଉଦ୍ଧାର କରି ପାରିବ ।

ମନ୍ତ୍ରୀ ପୁଅ କହିଲା – ତାହା ହେଲେ ତ ମଣିଚୁଳକୁ ହତ୍ୟା କରିବା ସହଜ ହେବ ।

ମନ୍ତ୍ରୀ ପୁଅ ଠାରୁ ଏକଥା ଶୁଣି ଋଷି କହିଲେ – ମଣିଚୁଳକୁ ମାରିବା ଏତେ ସହଜ ନୁହେଁ । ମଣିଚୁଳକୁ ମାରିବାକୁ ହେଲେ ବନଦେବୀଙ୍କୁ ପୂଜା କରି ଦେବୀଙ୍କ ଠାରୁ ଖଡ୍ଗ ଆଣିବାକୁ ହେବ ।

ଏହା ପରେ ଋଷି ମନ୍ତ୍ରୀ ପୁଅକୁ ମନ୍ତ୍ରଟି ବତାଇ ଦେଲେ । ଦୁଇ ବନ୍ଧୁ ମନ୍ତ୍ର ଜାଣି ବନସ୍ତକୁ ଗଲେ । ବନସ୍ତ ମଧ୍ୟରେ ଏକ ପବିତ୍ର ସ୍ଥାନ ଦେଖି ଶିଳା ଗୋଟିକୁ ବନ ଦେବୀ ଭାବରେ ସ୍ଥାପନ କରି ସେହି ମନ୍ତ୍ରରେ ପୂଜା ଆରମ୍ଭ କରି ଦେଲେ ।

ଏହି ପରି ଭାବରେ ପୂଜା କରୁ କରୁ ତିନି ଗୋଟି ଦିବସ ଅତିବାହିତ ହେଲା । ତିନି ଦିନ ପରେ ଦେବୀ ଏକ କୁମାରୀ ରୂପରେ ସାକ୍ଷାତ ଦେଇ କହିଲେ ବତ୍ସ! ତୁମର ପୂଜାରେ ମୁଁ ସନ୍ତୁଷ୍ଟ ହୋଇଛି । ମୁଁ ତୁମକୁ ଏହି ଖଡ୍ଗ ପ୍ରଦାନ କରୁଛି, ଏହି ଖଡ୍ଗ ଦ୍ୱାରା ତୁମର ସମସ୍ତ କାର୍ଯ୍ୟ ସିଦ୍ଧି ହେବ । ହେଲେ ଆଉ ଗୋଟିଏ କଥା ମନେ ରଖି ଥିବ । ଜଳ ମଧ୍ୟରେ ତୁମେ ଦୁହେଁ ଯେତେବେଳେ ବିଜୟ ଲାଭ କରିବ ସେତେବେଳେ ସେହି କନ୍ୟା ଯାହାଙ୍କୁ ପ୍ରଥମେ ଦେଖିବ ତାକୁ ହିଁ ବିଭା ହେବ । ଦେଖ ମନ୍ତ୍ରୀ ପୁଅ କନ୍ୟାତ ତୁମକୁ ନିଶ୍ଚୟ ଆଗ ଦେଖିବ । ତୁମକୁ ସେହି କନ୍ୟା ଯେତେବେଳେ ବିବାହ କରିବ, ରାଜା ପୁଅ ଅଯଥାରେ ତୁମକୁ ସନ୍ଦେହ କରି ତୁମର ବିଦ୍ରୋହୀ ହେବ ।

ମନ୍ତ୍ରୀ ପୁଅ ମାଆଙ୍କ ଆଗରେ ହସ୍ତ ଯୋଡି ବିନତୀ ହୋଇ ପଚାରିଲା ତାହା ହେଲେ ଏଥିରେ ମୁଁ କି ଉପାୟ କରିବି ମାଆ ।

ବନ ଦୁର୍ଗା କହିଲେ – କପାଳ ଲିଖନ କେ କରିବ ଆନ । ଜନ୍ମ କାଳରେ ବିଧାତା ତୁମ କପାଳରେ ଯାହା ଯାହା ଲେଖି ଦେଇ ଛନ୍ତି ତାହାହିଁ ତ ତୁମକୁ ଭୋଗ କରିବାକୁ ହେବ । ସେହି ରାଜ କନ୍ୟା ବିବାହ କରି ମାତ୍ର ଗୋଟିଏ ବର୍ଷ ସଂସାରରେ ରହିବ । ତା’ର କନ୍ୟା ଗୋଟିଏ ଜନ୍ମ ହେବା ପରେ ରାଜା ତାକୁ ଅବିଶ୍ୱାସ କରି ମାରି ଦେବେ । ସେତେବେଳେ ସେହି ଅବସ୍ଥାକୁ ଦେଖି ତୁମେ ପାଷାଣର ମୂର୍ତ୍ତି ହୋଇ ଯିବ ।

ଏ କଥା ଶୁଣି ରାଜା ପୁଅ କାନ୍ଦି ପକାଇ ମା’ବନଦୁର୍ଗାଙ୍କ ଆଗରେ ବିନତୀ ହୋଇ କହିଲେ ଏପରି ଦଣ୍ଡ ମୋତେ ଦିଅ ନାହିଁ ମାଆ । ଦେବୀ କହିଲେ – ଯାହା ବିଧାତାଙ୍କର ବିଧାନ ମୁଁ ତ ତୁମକୁ ସେହି କଥା ହିଁ କହୁଛି । ରାଜ କନ୍ୟା ଠାରୁ ଯେଉଁ କନ୍ୟା ହେବ ସେ ଯେଉଁ ଦିନ ଷୋଡଶୀ ସୁନ୍ଦରୀ ହେବ ସେତେବେଳେ ସେହି କନ୍ୟା ଉଲଗ୍ନ ହୋଇ ପାଷାଣ ମୂର୍ତ୍ତିକୁ ଆଲିଙ୍ଗନ କଲେ ମନ୍ତ୍ରୀ ପୁଅ ପୁଣି ନିଜର ପୂର୍ବ ରୂପକୁ ଫେରି ପାଇବ । ଆଉ ମଧ୍ୟ ସେହି କନ୍ୟା ତାକୁ ବିବାହ କରି ରାଜ୍ୟ ଭୋଗ କରିବ । ଏହା ପରେ ରାଜ ପୁତ୍ର ତତ୍କ୍ଷଣାତ୍ ଦେହ ତ୍ୟାଗ କରି ସ୍ୱର୍ଗକୁ ଯିବ ।

ଏପରି ସମସ୍ତ କଥା ବୁଝାଇ ଦେଇ ମା’ ବନ ଦୁର୍ଗା ଅନ୍ତର୍ଦ୍ଧାନ ହୋଇ ଗଲେ । ଏଥୁ ଅନ୍ତେ ମନ୍ତ୍ରୀ ପୁଅ ପାତାଳରେ ପ୍ରବେଶ କରି ରାଜ କୁମାରୀ ମଣି ରତ୍ନାଙ୍କୁ ସମସ୍ତ କଥା ବୁଝାଇ ଦେଇ ରାଜା ପୁଅ ସହିତ ରାଜ କୁମାରୀ ମଣି ରତ୍ନାର ବିବାହ କରାଇ ଦେଲା । ରାଜା ପୁଅ ବିଭା ହୋଇ ଯିବାର ବର୍ଷଟିଏ ବିତିଲା । ଚାହୁଁ ଚାହୁଁ ମା’ ବନ ଦୁର୍ଗାଙ୍କ ସମସ୍ତ କଥା ଫଳିଲା । ରାଜ କନ୍ୟାଙ୍କର କନ୍ୟାଟିଏ ଜନ୍ମ ହେବା ପରେ ରାଜ କୁମାରୀ ମଣି ରତ୍ନାକୁ ମନ୍ତ୍ରୀ ପୁଅ ଭଲ ପାଉଥିବା ଜାଣି ସତକୁ ସତ ନିଜର ତରବାରୀ ସାହାଯ୍ୟରେ ରାଜ କନ୍ୟା ମଣି ରତ୍ନାକୁ ହତ୍ୟା କରି ଦେଲା । ମଣି ରତ୍ନା ଯେମିତି ମରି ଗଲା ମନ୍ତ୍ରୀ ପୁଅ ମଧ୍ୟ ସେତିକି ବେଳେ ପୂର୍ବ କଥା ମନେ ପକାଇବାରୁ ସେ ମଧ୍ୟ ପାଷାଣ ହୋଇ ଗଲା ।

ରାଜ ପୁତ୍ର ଏଥର ଦୁଃଖରେ ଭାଙ୍ଗି ପଡିଲେ । ଦୁହିଁଙ୍କୁ ନେଇ ଏକ ସ୍ଥାନରେ ସାମାଧି ଦେଇ ତା’ ଉପରେ ଗୋଟିଏ ସୁନ୍ଦର ମନ୍ଦିର ନିର୍ମାଣ କଲେ । ଚାହୁଁ ଚାହୁଁ ତାଙ୍କର କନ୍ୟା ଷୋଡଶୀ କୁମାରୀ ହୋଇ ସୁନ୍ଦରୀ ଦେଖା ଗଲା । ରାଜ ପୁତ୍ର କନ୍ୟାର ଉପଯୁକ୍ତ ହେବା ଜାଣି ଘଟିଥିବା ସମସ୍ତ ଅତୀତ କଥାକୁ କନ୍ୟାକୁ ଜଣାଇ ଦେଲେ । ଦିନେ କନ୍ୟା ନିଜର ଲାଜକୁ ପରିତ୍ୟାଗ କରି ଉଲଗ୍ନ ହୋଇ ମୂର୍ତ୍ତିଟିକୁ ଆଲିଙ୍ଗନ କରନ୍ତେ ସେହି ମୂର୍ତ୍ତି ଜୀବନ୍ତ ମନ୍ତ୍ରୀ ପୁଅ ହୋଇ ଆବିର୍ଭାବ ହେଲା । ଏ କଥା ଜାଣି ସମସ୍ତେ କନ୍ୟାକୁ ଧନ୍ୟ ଧନ୍ୟ କରି ମନ୍ତ୍ରୀ ପୁଅ ସାଥିରେ ବିବାହ କରାଇ ଦେଲେ । ସେହି ଦିନ ଠାରୁ ଜାଣ ରାଜ କନ୍ୟାର ମୂର୍ତ୍ତି ଗୋଟିଏ ସେହି ସମାଧି ପୀଠ ଉପରେ ରହିଲା – ଏହା ପରେ ସେହି ପଥର ମୂର୍ତ୍ତିକୁ ଦେବୀ ଭାବରେ ସମସ୍ତେ ମାନିଲେ ଓ ତାଙ୍କୁ ପୂଜା ମଧ୍ୟ କଲେ ।

ଶୁଣିଲୁ ବୁଝିଲୁରେ ବୋଲକରା
ଆଉକି କହିବା ଗୁଣ
ଉଠ ବୋଲକରା ବସ ବୋଲକରା
ଆଣତୁ ଭାତ ତିଅଣ
ଖାଇବା ଶୋଇବା ପୁଣିତ ଉଠିବା
ରାତି ପାହି ହେଲେ ଖରା
ପୁଣି କେତେ ପଥ ଯିବାଆରେ ବାପ
ତୀର୍ଥ ସରି ନାହିଁ ପରା ।

Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleଚତୁରୀ ଦାସୀ/Clever maid
Next Article ମାୟାବିନୀ ଅସୁରୁଣୀ କଥା/Mayabini Asuruni Katha
suchitra

Related Posts

ଆତିଥ୍ୟ

March 31, 2023

ନିରକ୍ଷର ସେନାପତି

March 30, 2023

ନୂତନ ଦଣ୍ଡ

March 29, 2023

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.